Unknown

 

 

 

 

 

 

 

 

 

 

 

ରାଜନଙ୍କୁ ଛଳ ଭକ୍ତି

ଶ୍ରୀ ବ୍ରଜନାଥ ବଡ଼ଜେନା

 

ଶ୍ରୀସିଦ୍ଧ ବଳଦେବ ମହାପ୍ରଭୁଙ୍କ

 

ଶ୍ରୀ ଚରଣ ଭାବନ ହେ

 

ଢ଼େଙ୍କାନାଳେଶଙ୍କ ଛାମୁରେ ବରଜ-

 

ନାଥ ବଡ଼ଜେନା କହେ

। ୧ ।

 

 

ହେ ମହାରାଜ ମଣ୍ତଳ ଆଖଣ୍ତଳ

 

ବୀର ନିକର ମଣ୍ତନ

 

ରାଜ ଶ୍ରୀରାଜ ମହୀନ୍ଦ୍ର ବାହାଦୂର

 

ସକଳ ଦୁଃଖ ଖଣ୍ତନ

। ୨ ।

 

 

ଗୋସାଇଁଙ୍କ ଖାନ- ଜାଦ ଅଟଇ ମୁଁ

 

ସାତପୁରୁଷ ସେବକ

 

ଏହି ମହାଶ୍ରମ ଆଶ୍ରେ ଭୁଞ୍ଜୁଥାଉଁ

 

ସୁଖ କେତେବେଳେ ଦୁଃଖ

। ୩ ।

 

 

ବର୍ତ୍ତମାନ ମୋତେ ଗୋସାଇଁ ଦେଇଛ

 

ପ୍ରଭୁଙ୍କ ନୃପତି ସୁଖ

 

ନ ଜାଣିବା ଲୋକେ ବୋଲନ୍ତି ପାଇଲେ

 

ବଡ଼ଜେନା ଏ କି ଦୁଃଖ

। ୪ ।

 

 

ବଡ଼ ପ୍ରଭୁମାନେ ଆପଣା ପଦହିଁ

 

ଦିଅନ୍ତି ଭୃତ୍ୟଜନରେ

 

ବିଷ୍ଣୁ ଚତୁର୍ଭୁଜ କରି ଶଙ୍ଖ ଚତ୍ର

 

ତେଜି ଦେଲେ ଦାସଠାରେ

। ୫ ।

 

 

ଯଉଁ ରୂପେ ମୁହିଁ ନୃପତି ସମ୍ପତ୍ତି

 

ପାଇଛି ଶୁଣ ମଣିମା

 

ଖଡ଼ି ଧଇଲେ ତ କେତେ ଟଙ୍କା ଧାନ

 

ସୁବର୍ଣ୍ଣ କରୁଛି ଜମା

। ୬ ।

 

 

ଗୋସାଇଁ ଛ ହାତୀ ବାସରେ ରଖିଛ

 

ଦେଇ ତହିଁ କେତେ ଗଣ୍ଠି

 

ମୋର ଛ ହାତୀ ବାସରେ ରଖିଅଛି

 

ଦେଇ ତହିଁ କେତେ ଗଣ୍ଠି

। ୭ ।

 

 

ପ୍ରଭୁ ସଇନ୍ଧବ ଖୋଜୁଛ ଛାମୁଙ୍କୁ

 

ମିଳୁନାହିଁ ଆଚ୍ଛାରୂପେ

 

ମୁହିଁ ନିତିହିଁ ସ- ଇନ୍ଧବ ଖୋଜଇଁ

 

ନ ମିଳଇ ଅନୁରୂପେ

। ୮ ।

 

 

 

 

ଗୋସାଇଁ ଯେ ପ୍ରତି- ଦିନ ବିଜେ କରୁ

 

ଅଛ ଦିବ୍ୟ ସୁଖାସନେ

 

ମୁହିଁ ନିତି ସଖା- ମନେ ବସୁଅଛି

 

ନୁହଇ ବା ଦିନେ ଦିନେ

। ୯ ।

 

 

ବିଜେ ହେଲାବେଳେ ଚନ୍ଦ୍ର ସୂର୍ଯ୍ୟ ତ୍ରାସ

 

ପ୍ରଭୁଙ୍କ ଗଭାରେ ଶୋହେ

 

ଘରେ ବସିଥିଲେ ଚନ୍ଦ୍ର ସୂର୍ଯ୍ୟ ତ୍ରାସ

 

ମୋ ଶିରରେ ଶୋଭା ପାଏ

। ୧୦ ।

 

 

ଗୋସାଇଁଙ୍କର ନାଁ ଚାରି ଏ ମଣ୍ତଳ

 

ଯାକେ ଖ୍ୟାତ କରୁଛନ୍ତି

 

ମୁହିଁ ନା’ ଚାର ମଣ୍ତଳ ଯାକରେ

 

ମୋତେ ସମସ୍ତେ ଜାଣନ୍ତି

। ୧୧ ।

 

 

ପ୍ରଭୁ ଯେ ମୁକୁତା ସରି ମଣ୍ତନରେ

 

ବିଭୂତି ଭୂଷଣମୟେ

 

ମୁଁ କୁ ତା ସରି ମଣ୍ତନ ହୋଇଅଛି

 

ବିଭୂତି ଭୂଷଣ କାୟେ

। ୧୨ ।

 

 

ପ୍ରଭୁଙ୍କ ସେବା ନିଯୋଗ ଚଳୁଅଛି

 

ପରା କେତେ ପରିବାରେ

 

ମୋହର ସେବା ନିଯୋଗ ଚଳୁଅଛି

 

ସେହି ରୂପେ ପରିବା ରେ

। ୧୩ ।

 

 

ସଗୁଣ ବଂଶ ମାର୍ଗଣ ପ୍ରଭାବରେ

 

ଗୋସାଇଁଙ୍କ କୀର୍ତ୍ତି ଖ୍ୟାତ

 

ସଗୁଣ ବଂଶ ମାର୍ଗଣ ପ୍ରଭାବରେ

 

ମୋତେ ଜାଣନ୍ତି ଜଗତ

। ୧୪ ।

 

 

ଗୋସାଇଁ ତଣ୍ତି ବାନ୍ଧି ଦେଇ ଆପଣା

 

ମୁଲକ ସମ୍ଭାଳି ଅଛ

 

ମୁଁ ତଣ୍ତି ବାନ୍ଧ ଦେଇ ଘର ରଖିଛି

 

ବୁଝା ଯାଉ ନୋହେ ମିଛ

। ୧୫ ।

 

 

ପ୍ରଭୁଙ୍କର ହାତ ମାତ୍ର ନାଗି ନାହିଁ

 

ଆରକୁଟ କଟକରେ

 

ମୋହରି ମାତ୍ରକ ହାତ ଲାଗି ନାହିଁ

 

ଆରକୁଟ କଟକରେ

। ୧୬ ।

 

 

ଗୋସାଇଁଙ୍କ ଥିବ ବା ଦଶ ପାଞ୍ଚ

 

ମୋହର ଚାଙ୍ଗଡ଼ା ଘରେ

 

ବିଚାରୁଛି ମୁହିଁ ଅଛି ଦଶ ପାଞ୍ଚ

 

ମୋହର ଚାଙ୍ଗଡ଼ା ଘରେ

। ୧୭ ।

 

 

ବହୁତ କପର୍ଦ୍ଦୀ ଦେଖୁଛ ଗୋସାଇଁ

 

ନିତିହିଁ ନବର ଦେଶେ

 

ମୁହିଁ କପର୍ଦ୍ଦୀ ବହୁତ ଦରଶନ

 

କରୁଛି ମନ୍ଦିର ପାଶେ

। ୧୮ ।

 

 

ଗୋସାଇଁ ଶଏ କୋଶ ପୃଥ୍ୱୀ ପ୍ରଭୁତ୍ୱ

 

କରୁଛ ନିଶ୍ଚିନ୍ତ ହୋଇ

 

ପଡ଼ିଆ ଗ୍ରାସ ବୃତ୍ତି ଯାକ ପାଇଛି

 

ପ୍ରଭୁଙ୍କ ହଜୁରୁଁ ମୁହିଁ

। ୧୯ ।

 

 

ଗୋସାଇଁ ଲକ୍ଷ ଲକ୍ଷ ଲୋକ ପାଇଛ

 

ସେବାଦି ଦେଇଣ ସିନା

 

ମୃଗ ବ୍ୟାଘ୍ର ସଅମ୍ବର କେତେ ଜୀବ

 

ଖାଉଛନ୍ତି ମୋ ମହିନ

। ୨୦ ।

 

 

ଏହିରୂପେ ରାଜ ସମ୍ପତ୍ତି ପାଇ ମୁଁ

 

ହୋଇଅଛି ପୂର୍ଣ୍ଣକାମ

 

କେବଳ ବୁଝିଲେ ଏହି ଦୋଷରୁ ମୁଁ

 

ହେଲି ନିମକହାରାମ

। ୨୧ ।

 

 

ଗୋସାଇଁ ଈଶ୍ୱର ଭୃତ୍ୟ ବୋଲି ସିନା

 

ଦେଲ ନିଜ ଅଧିକାର

 

ଏହି ରାଜ୍ୟେ ଥିଲେ କେ ପୁଣି ଦେଖିବ

 

ଏତେ ବଡ଼ ଭାଗ୍ୟ ମୋର

। ୨୨ ।

 

 

ଘାଟ ଚିଠି ଖଣ୍ତେ ମିଳିଲେ ସଙ୍ଗେ ମୋ

 

ଘେନି ସର୍ବ ଦଉଲତେ

 

ରାଜ୍ୟେ ରାଜ୍ୟେ ଫେରି ଗଲେ ସିନା ଏଡ଼େ

 

ସମ୍ପଦ ହୁଅନ୍ତା ସ୍ୱାର୍ଥ

। ୨୩ ।

 

 

ଏ ରୂପେ ମୋହର ରାଜସୁଖ ସବୁ

 

ହଜୁରେ କଲି ଜଣାଣ

 

ନିଦ୍ରା ଭାଜି ଏ ସ୍ୱପନ ଗଲା ଏବେ

 

ଯଥାର୍ଥ ଗୋସାଇଁ ଶୁଣ

। ୨୪ ।

 

 

ସାତ ବରଷ ହୋଇଲା ସାତପଣ

 

ଶ୍ରୀଛାମୁରୁ ନ ପାଇଲି

 

ନିମକ ହାରାମ ହୋଇ କଉଁ କାମ

 

କୋଠର ବା ହାନି କଲି

। ୨୫ ।

 

 

ଜାଣିତ ନାହିଁ ମୁଁ ଦିବ୍ୟ ଅବଧାନେ

 

କଉଁ କଥା ଅବା ଥିବ,

 

ଏଥି କି ହେତୁ ମୁଁ ଠଅରାଇ ଅଛି

 

ଜଣାଉଛି ଶୁଣ ଦେବ

। ୨୬ ।

 

 

ବିଚାରି ଉପାସେ ଆନ୍ତ୍ରାନ୍ତେ ନିରାଶେ

 

ନବର ଠାକୁ ଆସଇଁ

 

ଜଣାଇବି କିଛି ହଜୁରେ ମଣୋହୀ

 

ସମୟ ଜଗି ବସଇ

। ୨୭ ।

 

 

ଦୂରୁଁ ଦରଶନ କରି କୁରୁନିସ

 

କରି ଶ୍ରୀଛାମୁଙ୍କୁ ଚାହିଁ

 

ଶ୍ରୀପାଲିଙ୍କୀ କରେ ଜଣାଇବି ମନେ

 

ବିଚାର ଆସନ୍ତେ ଧାଇଁ

। ୨୮ ।

 

 

ତେଡ଼େ ପ୍ରସନ୍ନ ବଦନ ଯେ ଶରଦ

 

ପୂର୍ଣ୍ଣଚନ୍ଦ୍ର ନିନ୍ଦୁ ଥାଏ

 

ମୋ ଭେଟ କଟାକ୍ଷ ପଡ଼ିଲା ମାନ୍ତ୍ରେ ସେ

 

ଅରୁଣ ଛବିକି ପାଏ

। ୨୯ ।

 

 

ଉଠାଣି ମାଛ ମୁହେଁ ବାଡ଼ି ପରାଏ

 

ଘୁଞ୍ଚି ରହଇ ଭୟରେ

 

କି ଦୁଃଖ ଜ୍ଞାତା କରିବି ମନ ଦୁଃଖେ

 

ଜ୍ଞାନ ନରହେ ଦେହରେ

। ୩୦ ।

 

 

ଛାମୁଏ ନିରାଶ ହେବାରୁ ଲେଶରେ

 

ପରଦେଶ ଠାଏ ଯାଇଁ

 

ଗୁଣ ଥିବା ଘେନି ଶଏ କି ପଞ୍ଚାଶ

 

ସେଠାରୁ ଅର୍ଜି ଆଣଇଁ

। ୩୧ ।

 

 

ତତଲା ଖପରାରେ ନୀର ଟୋପାଏ

 

ପଡ଼ିଲା ପ୍ରାଏ ସେ ଯାଏ

 

ପୁଣି ବିଚାରି ମାସ ତା ଖାଇ ଆଉ

 

ଗମନ କରଇଁ ଠାଏ

। ୩୨ ।

 

 

ପନ୍ଦର ପରାଣି କବିଲା ଏଥିରେ

 

ପୋଷା କେଉଁ ରୂପେ ଯିବେ

 

କେବଳ ବେଳେ ବେଳେ ଖାଇ ସମସ୍ତେ

 

ନ ମରି ରହିଛୁଁ ଜୀବେ

। ୩୩ ।

 

 

ଗୋସାଇଁଙ୍କ ଲୋକ ହୋଇ ମୁଁ ଚାକେରି

 

କରି ଏ ରୂପେ ବଞ୍ଚୁଛି

 

ମହାରାଜା ପ୍ରଭୁ ପଣକୁ ଏକଥା

 

ମାତ୍ର ତ ଶୋଭା ପାଉଛି

। ୩୪ ।

 

 

ଷାଠିଏ ବରଷ କାଳରେ ମୋହୋର

 

ଉଠିବାକୁ ନାହିଁ ବଳ

 

ପିଠି ଅଣ୍ଟା ବେକ ଲାଗି ଗଲାଣି ମୋ

 

ପୋଥି ଲେଖାରୁ କେବଳ

। ୩୫ ।

 

 

ନୂଆ ଗାଆଁ ମୋତେ ଦିଆ ହୋଇଛି ଯେ

 

ଯୁଗ ଯୁଗାନ୍ତ ପଡ଼ିଆ

 

ବାଘ ପୁଅ ତହିଁ ସାକ୍ଷାତ ଜନ୍ମାଏ

 

ପ୍ରଭୁ ଜାଣୁଅଛ ଏହା

। ୩୬ ।

 

 

ପରୀକ୍ଷା ପାତ୍ର ସୁବୁଧିଙ୍କ ବଳଦ

 

ସବୁ ବାଘ ମୁଖେ ଗଲେ

 

ଧାନ ବିହନ ବୁଡ଼ାଇ ସେ ଗାଆଁରେ

 

ବିରକ୍ତେ ଭାଙ୍ଗି ଅଇଲେ

। ୩୭ ।

 

 

ସେ ଗାଆଁ ମୋତେ ପାଞ୍ଚି ଦେଲେ ବକସୀ

 

ହଳ ଧାନ ଦେବା ବୋଲି

 

ସେରେ କି କାନ୍ଧେ ଦେଲେ ନାହିଁ କେବଳ

 

ମାଗି ମାଗି ଚିଟା ହେଲି

। ୩୮ ।

 

 

ପ୍ରଥମ ବରଷ ବାର ପଉଟି ସେ

 

ଗାଆଁରେ ଥିଲି ବୁଡ଼ାଇ

 

ପୁଣି ତା ଦୁଇ ବଷ ଯାଏ ଛାଡ଼ି

 

ଅଇଲି ବିମୁଖ ହୋଇ

। ୩୯ ।

 

 

ଏ ଅଙ୍କେ ସମସ୍ତେ ବୋଲିବାରୁ ତହିଁ

 

ବିଆଳି ଖଣ୍ତିଏ କଲି

 

ଭୋଜ ବିହନ ଋଣ ପଛବୁଣା ସେ

 

ନଈରେ ତା ହରାଇଲି

। ୪୦ ।

 

 

ଚାରି ଭରଣ ଋଣ କାହୁଁ ସୁଝି ମୁଁ

 

ପାରି ହେବି ମହାବାହୁ

 

ଚିଟି ଖଣ୍ତ ଘେନି ଛାମୁରେ ଦେଉଛି

 

ସରକାରେ ଗାଆଁ ରହୁ

। ୪୧ ।

 

 

କାହାଣେ କଉଡ଼ି ସରିକି ତହୁଁ ମୁଁ

 

ପାଇଥିବି ଯେବେ ପ୍ରଭୁ

 

ଏ କଥା ବୁଝା ଯାଉ ମିଛ ହୋଇଲେ

 

ମିଛ ମୁଁ କହଇ ସବୁ

। ୪୨ ।

 

 

ସେ ଗାଆଁ ଚଷା ହଳିଆ ମୂଲିଆ ଯେ

 

ଆନ ଗାଆଁରେ ରହିଲେ

 

ଆଡ଼ା ମାନକେ ରହି ଆଣି ଗଲେ ମୁଁ

 

ମୁଷୁଳି ଧରି ଧାଇଁଲେ

। ୪୩ ।

 

 

ମୋହର କଉଁ ବଳ ଅଛି କାହାକୁ

 

ଆଣି ରଖିବି ଗାଆଁ ରେ

 

ଟଙ୍କା କଉଡ଼ି ମୋ ହାତେ ଥିଲେ ସିନା

 

ଆସନ୍ତେ ମୋହ ନାଆଁରେ

। ୪୪ ।

 

 

ଦି ଘର ରୟତ ଅଛନ୍ତି ସେ କର

 

ତିନି ବରଷେ ନ ଦେଲେ

 

ମାଗି ମାଗି ଫୁଟି ନିୟମହିଁ ଦେଲି

 

ତେବେ ତାହା ନ ମାନିଲେ

। ୪୫ ।

 

 

ମାଲ ମାଇପ ପୁରାଣପଣ୍ତା ବର

 

ପରା ଗାଉଁନ୍ତିଆ ମୁହିଁ

 

ଗିରିଗିରିଆ ସେ ଗାଆଁ ଡ଼ିହେ ଛନ୍ତି

 

ତାଙ୍କୁ ଚାହିଁ ନ ପାରଇ

। ୪୬ ।

 

 

ଗାଆଁ ଟିଏ ବଡ଼ କେନାକୁ ହୁକୁମ

 

କଲାହିଁ ପ୍ରଭୁଙ୍କ ଚିତ୍ତ

 

ଜଣାଯିବା ପାଇଁ ଏରୂପେ ବିସ୍ତାରି

 

ଗୀତେ ଲେଖିଲି ଚରିତ

। ୪୭ ।

 

 

ରଖିଲେ ଅନ୍ମ ବସ୍ତ୍ର ଦେଇ ଗୋସାଇଁ

 

ରଖ ଏ ବୃଦ୍ଧ ସମୟେ

 

ନୋହିଲେ ସନ୍ତୋଷେ ବିଦା ଚିଟି ହୋଉ

 

ଜୀବଥାଉଁ ଯିବି ଠାଏ

। ୪ ୮।

 

 

ଆପଣାର ଗୁଣ ଅଛି କିବା ନାହିଁ

 

ଜୀଇ ପାରିଲେ ଜୀଇବି

 

ନୋହିଲେ ମହାରା ଜାଙ୍କ ଲୋକ ବୋଲି

 

ଯହିଁ ତହିଁ ତ ରହିବି

। ୪୯ ।

 

 

ଏ ରୂପେ ଦୁଃଖ ଜଣାଣରେ ହେ ଜନେ

 

ନୃପତି ସନ୍ତୋଷ ହୋଇ

 

ନଗଦ ବର୍ତ୍ତନ ବକସୀଙ୍କୁ ଆଜ୍ଞା

 

ହେବାରୁ ସେ ପୁଣି ଦେଇ

। ୫୦ ।

 

 

ହଳ ବଳଦ ବିହନ ଭୋଜ ଧାନ

 

ପୁଣିହିଁ ରାଜନ ଦେଇ

 

ଗାଁ ରଇତ ହଳିଆଙ୍କୁ ଅଣାଇ

 

ଦେଲେ ହୁକୁମ ପଠାଇ

। ୫୧ ।

 

 

ଯାହାଠାରେ ଯେତେ ବେଳେ କୃପା ହୋଏ

 

ସେ ଜନ ହୋଏ ନିଶ୍ଚିନ୍ତ

 

ଆମ୍ଭମାନଙ୍କର ଦଇବ ପୁରୁଷ

 

ଅଟନ୍ତି ଯେ ନରନାଥ

। ୫୨ ।

 

୭। ଗଣ୍ଠି=ଅର୍ଥ, ଧନ, ଗଣ୍ଠି=ଚିରା ଲୁଗାରେ ପକାଇଥିବା ଗଣ୍ଠି, ୮। ସଇନ୍ଧବ=ସିନ୍ଧୁ ଦେଶର ଘୋଡ଼ା । ସଇନ୍ଧବ=ଲୁଣ ୯। ସୁଖାସନେ=ବୈଠକଖାନାରେ, ସୁଖାସନେ=ପଦ୍ମାସନରେ ବା ଭୁଇଁରେ ଚକା ପକାଇ, ୧୦। ଚନ୍ଦ୍ର ସୂର୍ଯ୍ୟନ୍ତ୍ରାସ=ଚନ୍ଦ୍ର ସୂର୍ଯ୍ୟ ଖଚିତ ରାଜା ବା ଦେବତାଙ୍କଠାରେ ବ୍ୟବହୃତ ନ୍ତ୍ରାସ, ନ୍ତ୍ରାସ=କିରଣ, ଏଥିରୁ କବିଙ୍କ ଘରର ଅବସ୍ଥା ଜଣାଯାଏ, ୧୫। ତଣ୍ତି ବାନ୍ଧି ଦେଇ=ପାଟି ଫିଟାଇବାକୁ ବନ୍ଦ କରିଦେଇ, ୧୬। ତଣ୍ତି ବାନ୍ଧି ଦେଇ=ଘର ଛୁଆଁଇବାକୁ ନଡ଼ା ଯୋଗାଡ଼ କରି ନ ପାରିବାରୁ ଶସ୍ତା ତଣ୍ତିରେ ଛପର କରାଇଅଛି । ୧୭। ମୋହର=ସ୍ୱର୍ଣ୍ଣମୂଦ୍ରା ଚାଙ୍ଗଡ଼ା ଘରେ=ସରଘରେ, ଗନ୍ତାଘରେ, ଭଣ୍ତାରଘରେ, ୧୮। ଚାଙ୍ଗଡ଼ା=ବାଉଁଶ ବୁଣା ଡ଼ାଲା ବା ଚାଙ୍ଗୁଡ଼ି ।

Image